ରୌପ୍ୟ ନଗରୀ କଟକର ଗଣେଶଘାଟ ସାହେବଜାଦା ବଜାର ପୂଜା କମିଟି ପକ୍ଷରୁ ୨୦୨୬ ମସିହାରେ ନିର୍ମିତ ନୂତନ ଚାନ୍ଦି ମେଢର ଭବ୍ୟ ଉଦ୍ଘାଟନ ଉତ୍ସବ ଗତ ୧୬ ଅକ୍ଟୋବରରେ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି। ଚାନ୍ଦି ମେଢର ଉଦ୍ଘାଟନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି, ପୂଜା କମିଟିର କର୍ମକର୍ତ୍ତା ଏବଂ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କଟକ ମହାନଗର ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ ଉପସ୍ଥିତ ରହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, କଟକ ମେୟର ସୁଭାଷ ସିଂ, ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ରନାଥ ସାହୁ, କୋଷାଧ୍ୟକ୍ଷ ନରେଶ ସାହୁ, ଅସିତ ଜେନା ଏବଂ ଚଳଚ୍ଚିତ୍ର ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ କଟକ ମହାନଗରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ସୟଦ ତଫଜୁଲ ହସନ ମଞ୍ଚ ପରିଚାଳନା କରିଥିବା ବେଳେ ପୂଜା କମିଟିର ସଭାପତି ସୂର୍ଯ୍ୟକାନ୍ତ ପାଢ଼ୀ, ସମ୍ପାଦକ ଲକ୍ଷ୍ମୀଧର ବେହେରା ଓ ମନୋରଞ୍ଜନ ପଶାୟତ, କାର୍ଯ୍ୟକାରୀ ସଭାପତି କାହ୍ନୁଚରଣ ବେହେରାଙ୍କ ସମେତ କମିଟିର ଉପଦେଷ୍ଟା, ଯୁବକ ସଂଘର କର୍ମକର୍ତ୍ତା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସକ୍ରିୟ ସହଯୋଗରେ ଉତ୍ସବ ସଫଳ ହୋଇଥିଲା। ଏହି ଅବସରରେ ପ୍ରାୟ ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ନୂତନ ଚାନ୍ଦି ମେଢର ଉଦ୍ଘାଟନକୁ ନେଇ ପୂଜା କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଥିଲା। କଟକର ପୂଜା ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ଆୟୋଜନ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଦେଖାଯାଇଛି।


